ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୯ ତାରିଖରେ ଘୂର୍ଣ୍ଣିବଳୟ ଏବଂ ଏହାର ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ହେବାକୁ ଥିବା ଏହି ଲଘୁଚାପ କ୍ରମଶ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏବି ଅଧିକ ଘନିଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏହା ବାତ୍ୟା ରୂପ ନେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ ପାଣିପାଗ କେନ୍ଦ୍ର । କିନ୍ତୁ ପାଣିପାଗ ସମ୍ବନ୍ଧୀୟ କିଛି ମଡେଲ୍ ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରୁଛନ୍ତି ।
ଯଦି ବାତ୍ୟାର ରୂପ ନିଏ ତେବେ ତାର ନାଁ ତେଜ୍ ହେବ ଏବଂ ଏହା ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗର ଦିଘା କିମ୍ବା ହଳଦିବାରି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ସେହିପରି ସମାନ୍ତରାଳ ଭାବେ ମହାରାଷ୍ଟ୍ର ସଂଲଗ୍ନ ଆରବ ସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଅକ୍ଟୋବର ୧ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ଥିବା ପାଣିପାଗ ସମ୍ବନ୍ଧୀୟ ମଡେଲ ଆକଳନ କରିଛି ।