ଆଜି ମହାପ୍ରଭୁଙ୍କ ବଳିବାମନ ବେଶ। ଏଥି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର।ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ବେଶ୍ ଭିଡ ଲାଗି ରହିଛି।ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା।
ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ନିତି ଅନୁଷ୍ଠିତ ହେବ । ମହାପ୍ରଭୁ ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ସଜ୍ଜିତ ହେବେ। ପ୍ରଭୁ ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ନୀତି କାନ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜିତ କରାଯିବ । ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ଲାଗି ହେବ। ଶାସ୍ତ୍ର ରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଅନୁଷ୍ଠିତ ହୋଇ ଆସୁଛି । ପବିତ୍ର ଭାଦ୍ରବ ଶୁକ୍ଳ ପକ୍ଷ ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁ ବଳିବାମନ ବେଶରେ ଦର୍ଶନ ଦେବେ । ବଳିବାମନ ବେଶରେ ଭଗବାନଙ୍କ ସ୍ୱରୂପ ଅତ୍ୟନ୍ତ ଚିତ୍ତାକର୍ଷକ l
ଏହି ବେଶ ଭଗବାନ ବିଷ୍ଣୁଙ୍କର ବାମନ ଅବତାର ଉପରେ ଆଧାରିତ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ବାମନ ରୂପେ ଅବତୀର୍ଣ୍ଣ ଭଗବାନ ବିଷ୍ଣୁ ଦାନବରାଜ ବଳିକୁ ତାର ଅହଙ୍କାର ଓ ଗର୍ବର ପରିଣାମ ସ୍ବରୂପ ନିଜ ପାଦରେ ଦାବି ପାତାଳକୁ ପଠାଇ ଦେଇଥିଲେ । ଏଥିରୁ ଗୋଟିଏ କଥା ପ୍ରମାଣିତ ହୁଏ ଭଗବାନ କେବେ କାହାର ଗର୍ବ ସହ୍ୟ କରନ୍ତି ନାହିଁ l