ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି । ଏ ନେଇ 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁଙ୍କର ଗୁପ୍ତନୀତି ହେବ ।
ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ଗୁପ୍ତ ନୀତି ହେବ । ଅପରାହ୍ନ 5 ଘଟିକାରୁ ରାତ୍ର 9 ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ସର୍ବସାଧାରଣ ଲୋକ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗିବ ।
ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ । ପ୍ରତି ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି । ଶ୍ରୀମନ୍ଦିର ସତ୍ତ୍ୱଲିପିର 45 ନମ୍ବର ପୃଷ୍ଠାରେ ଏହା ଉଲ୍ଲେଖ ରହିଛି । ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ । ଚାଙ୍ଗଡା ମେକାପ 3 ଖଣ୍ଡ ଶ୍ରୀକପଡା ଦିଅନ୍ତି । ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ । ହିଙ୍ଗୁଳ, ହରିତାଳ, ଶଙ୍ଖ 6 ଭରି ଲେଖାଏଁ, କେଶର ଓ କର୍ପୁର ଯୋଗାଇ ଦିଅନ୍ତି । ମହାସ୍ନାନ ପାଇଁ ପଂଚାମୃତ ଯୋଗାଇ ଦିଆଯାଇଥାଏ । 7 ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି । ପାଳିଆ ଖଣ୍ଟୁଆ, ଗରାବଡୁ, 3 ଜଣ ପାଳିଆ ପୁଷ୍ପାଳକ ସେବା କରିଥାନ୍ତି ।