ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସିଙ୍ଗଡ଼ା ସେକସନର ପୋଖରୀଆ ଗ୍ରାମରେ ଆଜି ସକାଳେ ଜଣେ ଯୁବକ ବଣୁଆ ହାତୀ ଆକ୍ରମଣରେ ଆହତ ହୋଇଥିବାର ଖବର ମିଳିଛି। ଆହତ ଯୁବକ ସୁଶାନ୍ତ ହେମ୍ବ୍ରମ (୩୫)ଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ହାତୀଟି ଦାନ୍ତ ଦ୍ୱାରା ଗୋଡ଼କୁ କଣା କରିପକାଇଛି।ଘଟଣାରୁ ପ୍ରକାଶ ଯେ ପୋଖରୀଆ ଗ୍ରାମର ସୁଶାନ୍ତ ହେମ୍ବ୍ରମ ଆଜି ସକାଳ ସାଢେ ୬ଟା ସମୟରେ ଗ୍ରାମ କାଜୁ ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ।
ସେହି ସମୟରେ ଗୋଟିଏ ହାତୀପଲ ଉକ୍ତ ଜଙ୍ଗଲରେ ଥିଲେ। ସବୁ ହାତୀ ପଳାଇଯାଇଥିବାବେଳେ ବେଳେ ଆଉ ଗୋଟିଏ ହାତୀ ଉକ୍ତ ଜଙ୍ଗଲରେ ରହିଯାଇଥିଲା। ଯୁବକଟି କାଜୁ ଜଙ୍ଗଲରେ ପ୍ରବେଶ କରିବା ମାତ୍ରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଯୁବକ ଚିତ୍କାର କରିବାରୁ ହାତୀଟି ପଳାଇଯାଇଥିଲା ଓ ଗ୍ରାମବାସୀମାନେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କରଞ୍ଜିଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ଓ ସୁଶାନ୍ତ ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।