Odia News Portal

ଲଗାତର ବଢିଚାଲିଛି ପିଆଜ ଦର

କନ୍ଦାଉଛି ପିଆଜ । ଲଗାତର ବଢିଚାଲିଛି ପିଆଜ ଦର। ଦୁର୍ଗାପୂଜା ସରିଥିବାବେଳେ ଆଗକୁ ଦୀପାବଳି । ଉତ୍ସବର ମାହୋଲ ଚାଲିଥିବାବେଳେ ପିଆଜ ଦରରେ ଲାଗୁନି ବ୍ରେକ୍ । ଗତ କିଛି ଦିନ ହେବ ରାଜ୍ୟରେ ଉପର ମୁହାଁ ପିଆଜ ଦର। କେଜି ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୮୦ ଟଙ୍କାରେ ପହଁଚିଗଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ଶୁଣିବାକୁ ମିଳିଛି। ଏବେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍‌ ସେଥିରେ ପିଆଜ ବି ସାମିଲ ହୋଇଯିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଆଜର ଦର ଏହିପରି ଉଚ୍ଚା ରହିଛି। ଗତ ୧୫ ଦିନତଳେ ସ୍ୱାଭାବିକ ଭାବେ ଖୋଲା ବଜାରରେ ପିଆଜ କିଲୋପ୍ରତି ମାତ୍ର ୨୦ ରୁ ୨୫ ଟଙ୍କା ରହିଥିଲା। ଏବେ ସହରାଞ୍ଚଳରେ ପିଆଜ କିଲୋପ୍ରତି ୬୦ ରୁ ୮୦ ଟଙ୍କାରେ ପହଁଚିଗଲାଣି। ସେହିଭଳି ଗ୍ରାମାଞ୍ଚଳରେ ପିଆଜ କିଲୋ ପ୍ରତି ୬୫ ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ ନେଇ ଅତିଷ୍ଟ ହୋଇଛନ୍ତି ଖାଉଟି। ରୋଷେଇ ଘରେ ପିଆଜ ଖାଦ୍ୟର ସ୍ବାଦକୁ ବଢ଼ାଉଥିବା ବେଳେ, ଅତ୍ୟଧିକ ପରିମାଣର ଦରବୃଦ୍ଧି ଚିନ୍ତା ବିଷୟ ପାଲଟିଛି। ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି, ରାଜ୍ୟରେ ହଠାତ୍ ଏମିତି ପିଆଜ ଦରବୃଦ୍ଧି କାହିଁକି। କେତେଦିନ ଲାଗି ରହିବ ଏ ଦର ବୃଦ୍ଧି। ଦର ଖସାଇବାକୁ ରାଜ୍ୟ ସରକାର କେବେ ନେବେ ପଦକ୍ଷେପ। ଏହି ପ୍ରଶ୍ନ ସାଧାରଣ ଖାଉଟିଙ୍କ ମଧ୍ୟରେ ଉଠିଲାଣି। ଏହାରି ଭିତରେ ଭୁବନେଶ୍ୱରରେ ଗତକାଲି ଶସ୍ତାରେ ପିଆଜ ବିକିଛି କଂଗ୍ରେସ । ପିଆଜ ଦର ବଢିବା ନେଇ ରାଜନୀତି ବୟାନବାଜି ବି କମିନାହିଁ । ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛି ରାଜ୍ୟ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ପିଆଜର ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଆମେ କେବଳ ପିଆଜ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ନେଉଛୁ । କେନ୍ଦ୍ର ସରକାର ତୁରନ୍ତ ପିଆଜ ଦର ନିୟନ୍ତ୍ରଣ କରନ୍ତୁ ବୋଲି ସେ କହିଛନ୍ତି ।