ମହାନଦୀ ଜଳ ବିବାଦ ପ୍ରସଙ୍ଗ: ନୂଆ ଅଧ୍ୟକ୍ଷଙ୍କ ନେତୃତ୍ୱରେ ପହଞ୍ଚିଲେ ୩ ଜଣିଆ ଖଣ୍ଡପୀଠ By Swadhikar News Last updated Feb 27, 2026 ଓଡ଼ିଶା ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଟ୍ରିବ୍ୟୁନାଲ୍ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ। ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ସେମାନଙ୍କ ସହ ରହିଥିଲେ। ବିମାନବନ୍ଦରରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ବାଣ, ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିମାନବନ୍ଦରରେ ଔପଚାରିକ ସ୍ବାଗତ ପରେ ଟିମ୍ ସିଧା ସମ୍ବଲପୁର ଅଭିମୁଖେ ଆସି ହୀରାକୁଦ ବନ୍ଧ ରାଇଟ୍ ଡାଇକ୍ରେ ଥିବା ଅତିଥିଶାଳା ଅଶୋକନିବାସରେ ପହଞ୍ଚିଥିଲେ। ସୁରକ୍ଷା ଦୃଷ୍ଟିରୁ ବୁର୍ଲାଠାରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଛି।ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ସହ ଦଳରେ ଜଷ୍ଟିସ୍ ଡ. ରବିରଞ୍ଜନ, ଜଷ୍ଟିସ୍ ଇନ୍ଦରମିତ କୌର କୋଚର, ଭବ୍ୟା ପ୍ରିୟଦର୍ଶିନୀ, ଆସେସର୍ ଏକେ ସିଂହ ଓ କ୍ରିଷ୍ଣାନୁନ୍ନି ଏନ୍ଏମ୍, ରେଜିଷ୍ଟ୍ରାର ଚନ୍ଦନ ମୁଖାର୍ଜୀ, ପିପିଏସ୍ ଅନୀଲ ଦତ୍ତଶର୍ମା, ପିଏସ୍ ସୁଜିତ କୁମାର ଗିରି ଓ ଏସ୍ଓ ମନୋଜ କୁମାର ରହିଛନ୍ତି। ଶୁକ୍ରବାର ଦିନ ୧୦ଟାରେ ଏହି ଟିମ୍ ହୀରାକୁଦ ନଦୀବନ୍ଧର ଡାହାଣ ସ୍ପିଲୱେ ପରିଦର୍ଶନ କରି ସାଢ଼େ ଏଗାରଟାରେ ବୁର୍ଲା ପାୱାର ହାଉସ୍ ପରିଦର୍ଶନ କରିବେ। ଅପରାହ୍ଣ ୩ଟାରେ ଚିପିଲିମା ପାୱାର ହାଉସ୍ ପରିଦର୍ଶନ ପରେ ହୀରାକୁଦ କମାଣ୍ଡ ଅଞ୍ଚଳ ସହ ଡେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଶନିବାର ଦିନ ୧୦ଟାରେ ସମଲେଶ୍ବରୀ ଦର୍ଶନ ପରେ ଅପରାହ୍ଣରେ ଝାରସୁଗୁଡ଼ା ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଏଜି ପୀତାମ୍ବର ଆଚାର୍ଯ୍ୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥ ସହିତ କୌଣସି ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି। ଟ୍ରିବ୍ୟୁନାଲ୍ ସଦସ୍ୟଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ରହିବା ପାଇଁ ଛତିଶଗଡ଼ ଜଳସଂପଦ ବିଭାଗର ଏକ ୧୦ ଜଣିଆ ଟିମ୍ ମଧ୍ୟ ସମ୍ବଲପୁର ପହଞ୍ଚିଛନ୍ତି। ଓଡ଼ିଶା ଜଳସଂପଦ ବିଭାଗର ଉଚ୍ଚ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। swadhikarswadhikar news Share