ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ By Swadhikar News Last updated Feb 28, 2026 କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଜୁଣଗଡ଼ି ଗାଁର ଚାଷୀ ତ୍ରିଲୋଚନ ନାୟକ (୫୩) ମଣ୍ଡି ଓ ମିଲର୍ ନିର୍ଯାତନା ସହି ନ ପାରି ଆଖି ବୁଜିଥିଲେ। ତିନିଦିନ କାଳ ମିଲ୍ ସାମନାରେ ଖୋଲା ଆକାଶ ତଳେ ଅଖିଆଅପିଆ ପଡ଼ିରହି ଅସୁସ୍ଥ ହେବା ପରେ ଘରେ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ପତ୍ନୀ ଭାରତୀ ନାୟକ ମିଲର୍ ଓ ସମ୍ପାଦକଙ୍କ ନିର୍ଯାତନା ଯୋଗୁଁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ରାଜନଗର ଅତିରିକ୍ତ ତହସିଲଦାରଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।ଭାରତୀ ତହସିଲ୍ କାର୍ଯ୍ୟାଳୟରେ ଥିଲା ବେଳେ ତହସିଲଦାର ଯୀଶୁକୃଷ୍ଣ ଦାସ ମୃତ ଚାଷୀଙ୍କ ଘରେ ପହଞ୍ଚି ଥିଲେ। ପରେ ଭାରତୀ ଗାଁରେ ପହଞ୍ଚି ତହସିଲଦାରଙ୍କୁ ଦେଖିବା ମାତ୍ରେ ତାଙ୍କ ଗୋଡ଼ ତଳେ ପଡ଼ି ନ୍ୟାୟ ଭିକ୍ଷା କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଭାରତୀ ଦାୟୀ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମୃତକ ପରିବାରକୁ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ତହସିଲଦାର ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।ରାଜନଗର ତହସିଲ୍ରେ ମୃତ ତ୍ରିଲୋଚନଙ୍କ ପତ୍ନୀ ଭାରତୀ ନାୟକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ସେବା ସମବାୟ ସମିତିର ସମ୍ପାଦକ ଓ ମିଲର୍ ଦାୟୀ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। କିନ୍ତୁ ମଣ୍ଡି ଓ ମିଲ୍ ପକ୍ଷରୁ ଅନ୍ୟାୟ, ଅବହେଳା ଓ ଅତ୍ୟାଚାର ସହି ନ ପାରି ସେ ଅକାଳରେ ପ୍ରାଣ ହରାଇଛନ୍ତି। ସ୍ୱାମୀ ଓ ତାଙ୍କ ଭାଇମାନେ ନିୟମିତ ଈଶ୍ୱରପୁରସ୍ଥିତ ଡାଙ୍ଗମାଳ ସେବା ସମବାୟ ସମିତି ମଣ୍ଡିକୁ ଯାଉଥିଲେ। କିନ୍ତୁ ସମ୍ପାଦକ ଧାନ ଗ୍ରହଣ ନ କରି ବାରମ୍ବାର ଦୌଡ଼ାଉଥିଲେ। ଗତ ୨୨ ତାରିଖରେ ସହସମ୍ପାଦକ କ୍ବିଣ୍ଟାଲ୍ ପିଛା ୬ କେଜି କଟାଯିବ ବୋଲି କହିବା ସହ ଆମଠାରୁ ୧ ହଜାର ଟଙ୍କା ନେଇ ରାମଚଣ୍ଡୀ ମିଲ୍ରେ ଧାନ ଦେବାକୁ କହିଥିଲେ। ସ୍ୱାମୀ ୨୩ ତାରିଖ ଦିନ ନିଜ ଖର୍ଚ୍ଚରେ ଟ୍ରାକ୍ଟର୍ ଭଡ଼ା କରି ମିଲ୍କୁ ଧାନ ନେଇଥିଲେ। ମିଲର୍ ପକ୍ଷରୁ ଧାନ ଅନ୍ଲୋଡ୍ କରିବା ପାଇଁ ୩ ହଜାର ଟଙ୍କା ଅବୈଧ ଭାବେ ଦାବି କରାଯାଇଥିଲା। ପ୍ରତି କ୍ବିଣ୍ଟାଲ୍ ପିଛା ୩ କେଜି କଟା ଯାଇଥିଲା। ସ୍ୱାମୀଙ୍କ ନାମରେ ୫୧ କ୍ବିଣ୍ଟାଲ୍ ୨୦ କେଜି ଧାନ ୨୫ ତାରିଖରେ ଗ୍ରହଣ ହୋଇଥିବା ଚିଠା ଦିଆଯାଇଛି। ଏହା ସାଧାରଣ ମୃତ୍ୟୁ ନୁହେଁ; ମଣ୍ଡି ଓ ମିଲ୍ ପକ୍ଷରୁ ଅନବରତ ନିର୍ଯାତନା, ଅବହେଳା ଓ ମାନସିକ ଚାପର ଫଳ। ଏହି ଘଟଣାର ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ, ସମ୍ପୃକ୍ତ ସମ୍ପାଦକ ଓ ମିଲର୍ଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ, ପରିବାରକୁ ଅତି କମ୍ରେ ୨୦ ଲକ୍ଷ ଟଙ୍କା ସହାୟତା, ଏକମାତ୍ର ପୁଅକୁ ସରକାରୀ ଚାକିରି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ଅଭିଯୋଗ ଗ୍ରହଣ କରିଥିଲେ। swadhikarswadhikar news Share