ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ଥିତି ସହିତ ବିଦ୍ୟୁତ୍ ଉତ୍ପାଦନର ମଧ୍ୟ ସମୀକ୍ଷା କରିଛନ୍ତି। ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଟ୍ରିବ୍ୟୁନାଲ ଗୁରୁବାର ରାତିରେ ସମ୍ବଲପୁରରେ ପହଞ୍ଚିଥିବା ବେଳେ ଶୁକ୍ରବାର ହୀରାକୁଦ ନଦୀବନ୍ଧର ଅଶୋକ ନିବାସ ସଭାଗୃହରେ ବହୁ ସମୟ ଧରି ସମୀକ୍ଷା କରିଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡ. ରବିରଞ୍ଜନ, ସଦସ୍ୟା ଜଷ୍ଟିସ୍ ଇନ୍ଦରମିତ କୌର କୋଚର, ଆସେସର୍ ଅମରେନ୍ଦ୍ର ସିଂହ, ଆସେସର୍ କ୍ରିଷ୍ଣାନୁନ୍ନି ଏନ୍.ଏମ୍, ରେଜିଷ୍ଟ୍ରାର ଚନ୍ଦନ ମୁଖାର୍ଜୀ, ପିପିଏସ୍ ଅନିଲ ଦତ୍ତ ଶର୍ମା, ପିଏସ୍ ସୁଜିତ ଗିରି, ଏସ୍ଓ ମନୋଜ କୁମାର ପ୍ରମୁଖ ଓଡ଼ିଶା ଏବଂ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହିତ ବହୁ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା, ଛତିଶଗଡ଼ର ଆଡଭୋକେଟ୍ ଜେନେରାଲ ବିବେକ ଶର୍ମା, ଜଳସଂପଦ ବିଭାଗ ସଚିବ ରାଜେଶ ଟପ୍ପୋଙ୍କ ସହିତ ହୀରାକୁଦ କମାଣ୍ଡ ଏରିଆର ଜିଲ୍ଲାପାଳମାନେ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ। ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ପାୱାର୍ ପଏଣ୍ଟ ମାଧ୍ୟମରେ ମହାନଦୀରେ ମୌସୁମୀ ଓ ଅଣମୌସୁମୀ ସମୟର ଜଳପ୍ରବାହ, ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା, ଜଳବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ସାରା ବର୍ଷର ସ୍ଥିତି, ହୀରାକୁଦ କମାଣ୍ଡ ଏରିଆର ଜଳସେଚନ ବ୍ୟବସ୍ଥା ଓ ଚାଷ ସ୍ଥିତିର ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ। ସମୀକ୍ଷା ବୈଠକ ପରେ ବାମ ସ୍ପିଲୱେ ଯିବା ସମୟରେ ସହିଦ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାମ ସ୍ପିଲୱେ ପରିଦର୍ଶନରୁ ଫେରି ଜଳବିଦ୍ୟୁତ୍ ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ଛତିଶଗଡ଼ ଜଳ ଅବରୋଧ କରିବା ପୂର୍ବର ଓ ପରବର୍ତ୍ତୀ ସମୟର ବିଦ୍ୟୁତ ଉତ୍ପାଦନର ସ୍ଥିତି ତର୍ଜମା କରିଥିଲେ।
