Odia News Portal

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଇରାନର ପ୍ରତିଶୋଧ ଜାରି: ଆଞ୍ଚଳିକ ସଂଘର୍ଷ ବ୍ୟାପିଲା

ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ମିଳିତ ଯୁଦ୍ଧ ତୃତୀୟ ସପ୍ତାହରେ ଅଧିକ ବ୍ୟାପକ ଓ ଭୟାନକ ହୋଇଉଠିଛି। ଆମେରିକାକୁ ସାମରିକ ସହଯୋଗ କରୁଥିବା ଉପସାଗରୀୟ ରାଷ୍ଟ୍ରଙ୍କ ବିରୋଧରେ ଇରାନର ଆକ୍ରମଣ ତୀବ୍ର ହେବା ସହ ଆଞ୍ଚଳିକ ସଂଘର୍ଷ ଭୀଷଣ ହେବାରେ ଲାଗିଛି। ମଙ୍ଗଳବାର ପ୍ରାରମ୍ଭରେ ଇରାକର ବାଗଦାଦ୍‌ରେ ଆମେରିକା ଦୂତାବାସ ଓ ସାମରିକ ପ୍ରତିଷ୍ଠାନ ଉପରେ ପୁଣି ଥରେ ଡ୍ରୋନ୍ ଓ ରକେଟ୍ ଆକ୍ରମଣର ଏକ ଲହର ଦେଖିବାକୁ ମିଳିଛି।  ଇରାକୀ ସୁରକ୍ଷା ଏଜେନ୍ସିମାନେ କହିଛନ୍ତି ଯେ  ଇରାନ-ସମର୍ଥିତ ମିଲିସିଆଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି।ଇସ୍ରାଏଲ ବାହିନୀ ତେହରାନ ସମେତ ଇରାନର ବିଭିନ୍ନ ଅଂଚଳରେ   ସରକାରୀ ତଥା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଜୋର୍‌ଦାର ଏୟାର୍‌ ଷ୍ଟ୍ରାଇକ୍‌ ଚଳାଇଛି। ଏହା ସହିତ ବେରୁତ ସମେତ ଦକ୍ଷିଣ ଲେବାନନରେ ମଧ୍ୟ ଇସ୍ରାଏଲ ଆକ୍ରମଣ ଜାରି ରଖିଛି।  ଇସ୍ରାଏଲ  ସୀମିତ ଓ ଲକ୍ଷ୍ୟଭେଦୀ ସ୍ଥଳ ଅଭିଯାନ ଦ୍ବାରା ହେଜବୁଲ୍ଲାର ପ୍ରତିଷ୍ଠାନକୁ ଧ୍ୱଂସ କରୁଛି ଏବଂ ଉତ୍ତର ଇସ୍ରାଏଲର ସୁରକ୍ଷା ପାଇଁ ଅଧିକ ସୈନ୍ୟ ମୁତୟନ କରିଛି। ଇରାନ ବିରୋଧୀ ଯୁଦ୍ଧରେ ଆମେରିକାକୁ ସହଯୋଗ ମିଳୁନଥିବାରୁ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଆଜି ମିତ୍ରରାଷ୍ଟ୍ରମାନଙ୍କୁ ତିରସ୍କାର କରିଛନ୍ତି। ‘ହର୍ମୁଜ ପ୍ରାଣଳୀରେ ଜାହାଜ ସୁରକ୍ଷା ପାଇଁ ଆମ ଆହ୍ବାନକୁ ସେମାନେ ଅଣଦେଖା କରିଛନ୍ତି ଏବଂ ଏହା ସେମାନଙ୍କ ଦୁର୍ବଳତା’ ବୋଲି ଟ୍ରମ୍ପ କହିଛନ୍ତି। ତେବେ ସେ କହିଛନ୍ତି ଯେ ଫ୍ରାନ୍ସ ଓ ବ୍ରିଟେନ ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ଆମ ସହିତ ହର୍ମୁଜ ସୁରକ୍ଷାରେ ସାମିଲ ହେବେ। ଯୁରୋପୀୟ ସଂଘ ଏହା  ନାଟୋର ଯୁଦ୍ଧ ନୁହେଁ ବୋଲି ଟ୍ରମ୍ପଙ୍କୁ ଶୁଣାଇଦେବା ସହ ସଂଘର୍ଷରେ ଜଡ଼ିତ ହେବାକୁ ମନା କରିଦେଇଛି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଜାରି ରହିଛି। ଯୁଏଇର ଶାହ ତୈଳ କ୍ଷେତ୍ରରେ ଡ୍ରୋନ୍ ଆକ୍ରମଣରେ ନିଆଁ ଲାଗିଛି ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଛି। ଯୁଏଇ ଆକାଶପଥ କିଛି ସମୟ ବନ୍ଦ ରହିବା ପରେ ଆଜି ପୁଣି ଖୋଲାଯାଇଛି।   ହର୍ମୁଜ ପ୍ରଣାଳୀ ବନ୍ଦ ମାମଲାରେ ମଧ୍ୟସ୍ଥତା ପାଇଁ ଜାତିସଂଘ ପ୍ରୟାସ କରୁଥିଲେ ମଧ୍ୟ ଏଦିଗରେ କୌଣସି ଅଗ୍ରଗତି ଦେଖିବାକୁ ମିଳୁନାହିଁ।    ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଇସ୍ରାଏଲକୁ ଆଉ ଏକ ବଡ଼ ସଫଳତା ମିଳିଛି। ଆଜି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟଜ୍ ଘୋଷଣା କରିଛନ୍ତି ଯେ ଏକ ସଠିକ୍ ଏୟାର୍‌ଷ୍ଟ୍ରାଇକ୍‌ରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ ଘଟିଛି। ଗତ ୨୮ ଫେବୃଆରିରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଲାରିଜାନି ଇରାନର ଯୁଦ୍ଧକାଳୀନ ନେତୃତ୍ୱର ମୁଖ୍ୟ ଚେହେରା ଭାବେ ଉଭା ହୋଇଥିଲେ। ଏହି ଆକ୍ରମଣରେ ବାସିଜ୍ ଅର୍ଦ୍ଧସାମରିକ ବାହିନୀର ଶକ୍ତିଶାଳୀ କମାଣ୍ଡର ବ୍ରିଗେଡିୟର ଜେନେରାଲ୍ ଗୋଲାମରେଜା ସୋଲେମାନିଙ୍କର ମଧ୍ୟ ମୃତ୍ୟୁ ଘଟିଛି।ତେହେରାନର ଏକ ସୁରକ୍ଷିତ କମ୍ପାଉଣ୍ଡକୁ ଲକ୍ଷ୍ୟ କରି କରାଯାଇଥିବା ଏହି ଆକ୍ରମଣ ଇରାନର ରଣନୀତିକ ଶକ୍ତିକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ଲାରିଜାନିଙ୍କ ମୃତ୍ୟୁ ପରେ ଇରାନ ଗଣମାଧ୍ୟମରେ ତାଙ୍କ ଦ୍ୱାରା ଲିଖିତ ଏକ ନୋଟ୍ ପ୍ରକାଶ ପାଇଥିଲେ ମଧ୍ୟ ବିଶେଷଜ୍ଞମାନେ ଏହାକୁ ଭ୍ରମ ସୃଷ୍ଟି କରିବାର ଏକ ପ୍ରୟାସ ବୋଲି କହୁଛନ୍ତି। ଖେମିନିଙ୍କ ମୃତ୍ୟୁ ଏବଂ ତାଙ୍କ ଉତ୍ତରାଧିକାରୀ ମୋଜତାବା ଖେମିନି କୋମାରେ ଥିବା ଖବର ମଧ୍ୟରେ ଲାରିଜାନିଙ୍କ ବିୟୋଗ ଇରାନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି।ଏହି ସଙ୍କଟ ସମୟରେ ବ୍ରିଗେଡିୟର ଜେନେରାଲ୍ ଅହମ୍ମଦ ଭାହିଦିଙ୍କୁ ଆଇଆରଜିସିର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଭାହିଦି ଜଣେ କଠୋରପନ୍ଥୀ ନେତା ଏବଂ ପୂର୍ବରୁ କୁଦସ୍ ଫୋର୍ସର ମୁଖ୍ୟ ରହିଥିଲେ। ବର୍ତ୍ତମାନ ଇରାନର ପାରମ୍ପରିକ ଧାର୍ମିକ ନେତୃତ୍ୱ ପ୍ରାୟତଃ ଶେଷ ହୋଇଯାଇଥିବାରୁ ଶାସନ କ୍ଷମତା ସମ୍ପୂର୍ଣ୍ଣ ରୂପେ ଆଇଆର୍‌ଜିସି ସାମରିକ ପରିଷଦ ହାତକୁ ଚାଲିଯାଇଛି। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ନାମକୁ ମାତ୍ର ବେସାମରିକ ମୁଖ୍ୟ ଥିବାବେଳେ, ପ୍ରକୃତ କ୍ଷମତା ଏବେ ସେନା ହାତରେ ରହିଛି।