Odia News Portal

ଆଜି ଓ କାଲି ଭୀଷଣ ବର୍ଷା! ରାଜ୍ୟରେ ଜାରି ରହିବ ବର୍ଷାର ପ୍ରକୋପ

ରାଜ୍ୟବାସୀଙ୍କ ପାଇଁ ପୁଣି ବର୍ଷାର ସତର୍କ ସୂଚନା। ଆଜି ଓ କାଲି ସାରା ଓଡ଼ିଶାରେ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ଆଜି ଓ କାଲି ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷାକୁ ନଜରରେ ରଖି ୨୧ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଏହା ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୦୭.୯ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ, ଯାଜପୁର ଜିଲ୍ଲାର ଜେନାପୁରରେ ୧୦୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏପଟେ ଜୁନ୍ ୧ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ରାଜ୍ୟରେ ୭୬୭.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକ ବର୍ଷା ତୁଳନାରେ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଭଳି ପରିସ୍ଥିତିରେ ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ପ୍ରବଳ ବର୍ଷା ସମୟରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।