Odia News Portal

କାନାଡାରେ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ଘର ତାମିଲନାଡୁ ଏବଂ ପୁଡୁଚେରୀରେ ବୋଲି ଜଣାପଡ଼ିଛି । ମୃତକ ଦୁଇ ଜଣ ହେଲେ ମନୋଜ ଶିବକୁମାର ଏବଂ ଶ୍ରୀସରଣ ଥିରୁଗ୍ନାନାସମ୍ପନ୍ଧମ । ଏନେଇ ଭାନକୁଭରସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରାଯାଇଛି । ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାର ସହ ଭାରତ ସରକାର ରହିଥିବା ଦୂତାବାସ ପକ୍ଷରୁ କୁହାଯାଇଛି । ଏହାସହ ମୃତକଙ୍କ ମରଶରୀରକୁ ଭାରତ ଆଣିବା ପାଇଁ ପରିବାରକୁ ସମସ୍ତ ପ୍ରକାରର ସହଯୋଗ କରାଯାଉଥିବା ଜଣାଇଛି ଦୂତାବାସ । ଏଥିସହ ସ୍ଥାନୀୟ ଅଧିକାରୀ ଏବଂ ମୃତକଙ୍କ ପରିବାର ସହ ନିରନ୍ତର ଯୋଗାଯୋଗରେ ଥିବା ମଧ୍ୟ କୁହାଯାଇଛି ।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କାନାଡା ଗଣମାଧ୍ୟମ CBCର ରିପୋର୍ଟ ଅନୁସାରେ, ଶୁକ୍ରବାର ସକାଳେ ‘ହର୍ସ ଏୟାର’ ଦ୍ୱାରା ପରିଚାଳିତ ଏକ ସେସନା ୧୭୨ ବିମାନ ସସ୍କାଚେୱାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।