Odia News Portal

ହ୍ୱାଟ୍ସଆପ ଚାଟ ଖୋଲିବ ଆର୍ୟନଙ୍କ ଗୁମର

ମୁମ୍ବାଇ: ବଢ଼ୁଛି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ମାମଲା । ବାରମ୍ବାର ଶୁଣାଣି ହେବା ପରେ ମଧ୍ୟ ଆର୍ୟନଙ୍କୁ ମିଳିନି ବେଲ । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଏହି ଷ୍ଟାର କିଟଙ୍କ ବିବାଦ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ଲାଗୁଥିଲା କି, ଆୟନଙ୍କ ମାମଲା ଧିରେ ଧିରେ ଥମିଯିବ । କିନ୍ତୁ ଏବେ ଆର୍ୟନଙ୍କ ମାମଲାରେ ସାମ୍ନାକୁ ଆସିଛି ନୂଆ ଖବର ।

ହ୍ୱାଟଆପରେ ଚାଟିଂ କରିଛନ୍ତି, କାହା ସହ କଣ କଥା ହୋଇଛନ୍ତି । ଏସବୁ ଦେଖୁଛନ୍ତି ବରିଷ୍ଠ ଅଧିକାରୀ । ତେବେ ଅଧିକାଂଶ ଚାଟ ଡିଲେଟ କରାଯାଇଛି । ଯାହାକୁ ନେଇ ସନ୍ଦେହ ଅଧିକ ବଢ଼ିଛି । କେବଳ ହ୍ୱାଟଆପ ନୁହେଁ ଅନ୍ୟ କେଉଁ ସୋସିଆଲ ମିଡିଆ ଜରିଆରେ କଣ କଥା ହୋଇଛନ୍ତି ତାହା ମଧ୍ୟ ଯାଞ୍ଚ କରାଯାଉଛି । ରିଷ୍ଟୋର କରି ସବୁ ମେସେଜକୁ ଯାଞ୍ଚ କରାଯାଉଛି । ଯାହାକି ଆର୍ୟନଙ୍କ ସବୁ ଗୁମର ଖୋଲିବ ବୋଲି ଏନସିବିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକାରୀ କହିଛନ୍ତି ଯେ ଏହି କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣରୁ ଡିଲିଟ୍ ହୋଇଥିବା ମେସେଜ୍ ଏବଂ ହ୍ୱାଟଆପ ଚାଟ୍ ବାହାର କରୁଛି ଏବଂ ପରସ୍ପର ସହ ଯୋଗାଯୋଗ କରିବା ପାଇଁ ସେମାନେ ଅନ୍ୟ କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିଛନ୍ତି କି ନାହିଁ ତାହା ଯାଞ୍ଚ କରୁଛି। କିଛି ଅଭିଯୁକ୍ତଙ୍କଠାରୁ MDMA ଉଦ୍ଧାର କରିଥିବା ଅଭିଯୋଗ ହୋଇଛି। ଅଧିକାରୀ କହିଛନ୍ତି ଯେ ଏହି ସାମଗ୍ରୀ ପ୍ରାୟତ ୟୁରୋପ ଏବଂ ଆମେରିକାରୁ ଆମଦାନୀ ହୋଇଥାଏ ଏବଂ ଅଭିଯୁକ୍ତମାନେ କେଉଁଠାରୁ ପାଇଥିଲେ ଏଜେନ୍ସି ଅନୁସନ୍ଧାନ କରୁଛି।ସେପଟେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କଠାରୁ ବହୁ ତଥ୍ୟ ମିଳିଥିବା ମଧ୍ୟ ସୂଚନା ଦେଇଛନ୍ତି ।