Odia News Portal

ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ନିଖୋଜ ଘଟଣାରୁ ହଟିଲା ପରଦା

ସାମ୍ନାକୁ ଆସିଲା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାର ସତ। ମାନସିକ ଚାପ ଲାଗି ନେଇଥିଲେ ଏଭଳି ନିଷ୍ପତ୍ତି। ନିଜ ମୁହଁରେ କହିଛନ୍ତି କାରଣ। ପରେ ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ ତପନ। ସେତେବେଳକୁ ପୋଲିସ ତାଙ୍କୁ ଖୋଜି ପାଇ ସାରିଥିଲା ବୋଲି କହିଛନ୍ତି। ପାଇ ସାରିବା ପରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରୁ ଆଣି ବାଙ୍କୀ ଏସଡିଜେମ କୋର୍ଟରେ ହାଜର ପରେ ଆଜି ବାଙ୍କୀ ପୋଲିସ ତପନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତପନ ଏବଂ ତାଙ୍କ ସ୍ତ୍ରୀ ଉଭୟ ତଦନ୍ତ ସରିବା ପର୍ଯ୍ୟନ୍ତ ପୋଲିସକୁ ସହଯୋଗ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ତପନଙ୍କ ସ୍ତ୍ରୀ ଆଲିଶା ପ୍ରଧାନ ବାଙ୍କୀ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁ ଦୁଇଦିନ ଧରି ନିଖୋଜ ରହିଥିଲେ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୋଲିସ ତାଙ୍କୁ ଗିରିସୋଲା ନିକଟରୁ ବୁଧବାର ଦିନ ଉଦ୍ଧାର କରିଥିଲା। ସୂଚନା ଅନୁସାରେ ତପନ ବ୍ରହ୍ମପୁରରେ ଥିବା ତାଙ୍କ ଶ୍ବଶୁରଘରକୁ ଆସିଥିଲେ। ଗତ ସୋମବାର ଦିନ ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ବାଙ୍କୀରେ ପହଞ୍ଚି ସେ ତାଙ୍କର ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍‌ କରି ବ୍ୟାଙ୍କରେ ବିଳମ୍ବରେ ପହଞ୍ଚିବେ ବୋଲି କହିଥିଲେ। କିନ୍ତୁ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କର ପତ୍ତା ମିଳି ନଥିଲା। ଏଣୁ ପରିବାରବର୍ଗ କଟକ ବୈଦେଶ୍ବର ଥାନାରେ ଏତଲା ଦେଇଥିଲେ। ପୁଲିସ ତାଙ୍କର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର ଦିନ ତପନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗିରିସୋଲା ଅଭିମୁଖେ ଯାଉଥିବା ବେଳେ ଗୋଳନ୍ଥରା ପୁଲିସ ତାଙ୍କୁ ଉଦ୍ଧାର କରିଥିଲା।