Odia News Portal

ଲକ୍ଷ୍ମୀ ଯୋଜନାକୁ କାହିଁକି ବିରୋଧ? ଘରୋଇ ବସ ମାଲିକ ସଂଘର କଣ ରହିଛି ଆପତ୍ତି ?

ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ସରକାରୀ ବସ୍ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ଆସନ୍ତା ୨ରୁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହେବ। କିନ୍ତୁ ତାହା ପୂର୍ବରୁ ଘରୋଇ ବସ ମାଲିକ ସଂଘ କେଁ ପୂରାଇଛନ୍ତି। ଲକ୍ଷ୍ମୀ ଯୋଜନାକୁ କାହିଁକି ବିରୋଧ? ସହରାଞ୍ଚଳରେ ମୋ ବସ ସେବା ବେଶ ଲୋକପ୍ରିୟ ହୋଇପାରିଛି । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଆରମ୍ଭ କରିବାକୁ ଯାଉଛନ୍ତି ଲକ୍ଷ୍ମୀ ଯୋଜନା। ଏଥିପାଇଁ ୩ ବର୍ଷରେ ଖର୍ଚ୍ଚ କରାଯିବ ୩୧୭୮ କୋଟି ଟଙ୍କା। ଏହି ଯୋଜନାରେ ୧୦୦୦ରୁ ଅଧିକ ବସ ଚାଲିବ।

ପଞ୍ଚାୟତରୁ ରାଜଧାନୀ ଯାଏ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରାଯିବ। ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟ ମଧ୍ୟରେ ଯୋଗାଯୋଗ ସହଜ ହେବ। ଏହାସହ ବ୍ଲକ ମୁଖ୍ୟାଳୟକୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯୋଗାଯୋଗ ସୁବିଧା କରାଯିବ। ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ରାଜଧାନୀ କିମ୍ବା ଭୁବନେଶ୍ବର ଭାୟା ପୁରୀକୁ ଯୋଗାଯୋଗ ସୁବିଧା କରାଯିବ। ନିକଟରେ କ୍ୟାବିନେଟରେ ଏ ସମ୍ପର୍କିତ ନିଷ୍ପତ୍ତି ହୋଇଥିଲା। ପରେ ଅତିରିକ୍ତ ବଜେଟରେ ଯୋଜନା ପାଇଁ ୫୫୬ କୋଟି ଟଙ୍କାର ଅର୍ଥ ବରାଦ ହୋଇଛି ।

ଲକ୍ଷ୍ମୀ ବସ୍ ଚଳାଚଳ ହେଲେ ଆର୍ଥିକ କ୍ଷତି ହୋଇପାରେ ଘରୋଇ ବସ ମାଲକ ସଂଘ ଆଶଙ୍କା କରୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବସ୍ ଚଳାଚଳର ସମୟ ନିର୍ଘଣ୍ଟକୁ ନେଇ ଆରଟିଓମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ସଂପୃକ୍ତ ଆରଟିଓମାନେ ସେହି ଜିଲ୍ଲାର ଘରୋଇ ବସ୍ ମାଲିକ ସହ ବୈଠକ କରିବେ । ସେହିପରି ପରମିଟ୍ ପ୍ରଦାନ କ୍ଷେତ୍ରରେ ରାଜ୍ୟ ପରିବହନ ପ୍ରାଧିକରଣର ପ୍ରସ୍ତାବକୁ ଅନୁସରଣ କରାଯିବ । ଏନେଇ ଘରୋଇ ବସ୍ ମାଲିକ ସଂଘକୁ ଚିଠି ମାଧ୍ୟମରେ ଗତକାଲି ଅବଗତ କରାଯାଇଛି । ସେପଟେ ଅକ୍ଟୋବର ୧୦ରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ବସ ମାଲିକ ସଂଘ। କହିଛି ଘରୋଇ ବସ ମାଲିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ଚିଠି ପରେ ମଧ୍ୟ ସରକାର କିଛି ନିଷ୍ପତ୍ତି ନେଇନାହାନ୍ତି । ଏଥିପାଇଁ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।