Odia News Portal

ସାର୍ଟିଫିକେଟ୍‌ରେ କିଏ କରିଛି କେଳେଙ୍କାରୀ

ଉଦଳା: ବନ୍ଧା ହେବେ ୪୨୦ ଅଧ୍ୟାପିକା । ମହଙ୍ଗା ପଡିଲା ଜାଲିଆତି । ବହିଷ୍କାର ଓ ଗିରଫ ପାଇଁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ୧୩ ବର୍ଷ କାଳ ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟ୍‌ରେ ଚାକିରୀ କରିଥିଲେ ମାଡାମ୍ ୪୨୦ । ହେଲେ ୧୩ ବର୍ଷ ପରେ ବିଭାଗୀୟ ଭେରିଫିକେସନ୍‌ରେ ଧରା ପଡିଗଲା ମାଡାମଙ୍କ ଜାଲିଆତି । ଯାହାକୁ ନେଇ ଖୁଂଟା ଡିଗ୍ରୀ କଲେଜରେ ୨୦୦୭ରୁ ଇଂରାଜୀ ଅଧ୍ୟାପିକା ଅଭିପ୍ସା ପଟ୍ଟନାୟକଙ୍କୁ ବହିଷ୍କାର କରିବା ସହ ତାଙ୍କ ବିରୋଧରେ ଆଇନଗତ କାଯ୍ୟାନୁଷ୍ଠାନ ନେବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି । ଚିଠି ଆଧାରରେ ଅଭିପ୍ସାଙ୍କୁ ବହିଷ୍କାର କରାଯଇଥିବା ବେଳେ ତାଙ୍କ ନାମରେ ଏତଲା ଦେଇଛନ୍ତି କଲେଜ ପ୍ରିନ୍ସପାଲ ।

ତାରିଖ ୩୧ ଅକ୍ଟୋବର ୨୦୦୭ । ଖୁଂଟା ଡିଗ୍ରୀ କଲେଜରେ ନିଯୁକ୍ତି ପାଇଲେ ଅଭିପ୍ସା ପଟ୍ଟନାୟକ । ନିଯୁକ୍ତି ଦେଲେ କଲେଜ ଗଭର୍ଣିଂଙ୍ଗ ବଡି । ତାରିଖ ୧ ନଭେମ୍ବର ୨୦୦୭ । ଇଂରାଜୀ ଅଧ୍ୟାପିକା ଭାବେ ଯୋଗଦେଲେ ଅଭିପ୍ସା । ୧୪ ବର୍ଷ ପରେ ତାରିଖ ୧୨ ମେ ୨୦୨୧ । କଲେଜ ଗଭର୍ଣିଂଙ୍ଗ ବଡି ସଭାପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । ଜାଲ ମାର୍କସିଟ୍ ଦେଇଥିବା ଅଭିପ୍ସାଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ । ତାରିଖ ୨୦ ମେ ୨୦୨୧ ଅଭିପ୍ସାଙ୍କୁ ବହିଷ୍କାର କଲେ କଲେଜ ଗଭର୍ଣିଂଙ୍ଗ ବଡି । ଆଉ ଜୁନ୍ ୧୬ ତାରିଖେରେ ଅଭିପ୍ସାଙ୍କ ବିରୋଧରେ ଜାଲିଆତି ନେଇ ଥାନାରେ ଏତାଲା ଦେଲେ ଖୁଂଟା ଡିଗ୍ରୀ କଲେଜ ଅଧ୍ୟକ୍ଷ ।

ଗୁରୁତ୍ୱପୂର୍ଣ କଥା ହେଲା ଜାଲିଆତି କରି ୧୪ ବର୍ଷ ଚାକିରୀ କାଳ ଭିତରେ ଦରମା ଆକାରରେ କଲେଜ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଏହି ୪୨୦ ଅଧ୍ୟାପିକା । ତେବେ ଜାଲିଆତି ଧରା ପଡିବା ପରେ ମାଡାମ ନିଜ ଆଡୁ ଇସ୍ତଫା ଦେଇ ଛୁ ମାରିଛନ୍ତି । କଲେଜ ଦ୍ୱାରା ନିଯୁକ୍ତି ପାଇଥିବା ଅଭିପ୍ସାଙ୍କୁ ବ୍ଲକ୍ ଗ୍ରାଟଂ ଅନୁମୋଦନ ପାଇଁ ସାର୍ଟିଫିକେଟ୍ ଯାଂଚ ବେଳେ ତାଙ୍କ ପିଜି ମାର୍କ ସିଟ୍ ଜାଲ ଥିବା ଜଣାପଡିଛି । ଏବେ ପ୍ରଶ୍ନ ଉଠୁଛି ୧୪ ବର୍ଷ ତଳେ କାହିଁକି ହୋଇନଥିଲା ଯାଂଚ ? କାହା ଅନୁକମ୍ପାରେ ଅଭିପ୍ସାଙ୍କୁ ମିଳିଥିଲା ଚାକିରୀ ? କାହା ଛତ୍ରଛାୟାରେ କଲେଜ ରାଜସ୍ୱ ଲୁଟିନେଲେ ଅଭିପ୍ସା ? ଯଦି ଜାଲି ସାର୍ଟିଫିକେଟ୍ ଦେଇ ଅଭିପ୍ସା ଦୋଷୀ, ତାଙ୍କ ସାର୍ଟିଫିକେଟ୍ ଯାଂଚ କରିନଥିବା କଲେଜ କର୍ତୃପକ୍ଷ ଧୂଆ ମୂଳା ହେଲେ କେମିତି ? ଯଦି ଆଇନକାନୁନ୍ ନିୟମ ସମସ୍ତଙ୍କ ପାଇଁ ସମାନ ତେବେ ଅଭିପ୍ସାଙ୍କ ସହ ତତ୍କାଳୀନ କଲେଜ ପ୍ରିନ୍ସିପାଲ ଓ ଗଭର୍ଣିଂଙ୍ଗ ବଡି ସଭାପତି କେଳେଙ୍କାରୀରେ ଭାଗୀଦାରି ପାଇଁ ଗିରଫ ହେବେ ନାହିଁ କାହିଁକି ?