Odia News Portal

ଚାଷୀଙ୍କୁ ମିଳିବ ‘କାଳିଆ’ ତୃତୀୟ କିସ୍ତି

ତୃତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଚାଷୀ , ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ । ଆଜି ଅପରାହ୍ନ ୫ଟାରେ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କୃଷି ବିଭାଗ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହି ତାଲିକାରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହିତ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ ତାହା ଜଣାପଡିନାହିଁ ।

ତେଣୁ ପ୍ରଥମଥର ପାଇଁ ପିଏମ କିଷାନ ସହିତ ରାଜ୍ୟ ସରକାର ମଧ୍ୟ କାଳିଆ ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା । ଭୂମିହୀନ ଚାଷୀଙ୍କୁ ‘କାଳିଆ ’ ସହାୟତା ବାବଦରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ତୃତୀୟ କିସ୍ତି ବାବଦରେ ଚାଷୀମାନଙ୍କୁ ବାକି ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ ।