Odia News Portal

କଂଗ୍ରେସ ଅଧିବେଶନରେ ଯୋଗ ଦେବେନାହିଁ ସୋନିଆ, ରାହୁଲ, ପ୍ରିୟଙ୍କା

ଛତିଶଗଡ଼ର ରାୟପୁରରେ ଆୟୋଜନ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ କଂଗ୍ରେସ ଅଧିବେଶନରେ ଆଜି ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’ କାର୍ଯ୍ୟକର୍ତ୍ତା ନିର୍ବାଚନ ବିଷୟରେ ଆଲୋଚନା ହେବ, କିନ୍ତୁ ଏଥିରେ ଦଳର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ, ପୁଅ ରାହୁଲ୍‌ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ ଦେବେନାହିଁ ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ନୂତନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସ୍ବାଧୀନତା ଦେବା ଓ ତାଙ୍କ ନିଷ୍ପତ୍ତିଗୁଡ଼ିକୁ କ‌ୌଣସି ପ୍ରକାରେ ପ୍ରଭାବିତ ନ କରିବା ଲାଗି ଗାନ୍ଧୀମାନେ ଚାହୁଁଛନ୍ତି। କିନ୍ତୁ, ସେମାନେ ଏହି କନ୍‌କ୍ଲେଭ୍‌ ବା ଅଧିବେଶନର ବାକି କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦୨୪ ଜାତୀୟ ନିର୍ବାଚନ ଉପରେ ବିଚାର ଆଲୋଚନା କରିବେ।

ଦଳ ଥରକୁ ଥର ନିର୍ବାଚନରେ ପରାସ୍ତ ହେବା, ବର୍ଷ ବର୍ଷ ଧରି ଅଭ୍ୟନ୍ତରୀଣ କନ୍ଦଳ ଲାଗି ରହିବା ଯୋଗୁଁ ସୋନିଆ ଗାନ୍ଧୀ ୧୩୭ ବର୍ଷର ରାଜନୈତିକ ଦଳ କଂଗ୍ରେସର ନୂତନ ମୁଖ୍ୟ ତଥା ଏକାନ୍ତ ଅନୁଗତ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଗତ ବର୍ଷ ଅକ୍ଟୋବର ମାସରେ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହା ପୂର୍ବରୁ ଦଳର ପ୍ରଥମ ପରିବାର ଭାବେ ସେମାନେ ସେମାନଙ୍କର କର୍ତ୍ତୃତ୍ବ ବଜାୟ ରଖିଆସୁଥିଲେ।

ଆଜି ରାୟପୁରରେ ହେବାକୁ ଥିବା ସମାବେଶ ହେଉଛି କଂଗ୍ରେସର ୮୫ତମ ଅଧିବେଶନ। ଏହି ତିନିଦିନିଆ ଅଧିବେଶନରେ ଦଳ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସହିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣକୌଶଳ ଚୂଡ଼ାନ୍ତ କରିବା ଦିଗରେ ନିଷ୍ପତ୍ତି ନିଆଯିବ।