Odia News Portal

ମାର୍ଚ୍ଚରୁ ବଢିବ ଉତ୍ତାପ

ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା ହେବ। ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିର ହାବଭାବରୁ ଏହାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ଶୁକ୍ରବାର ଦିନ ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି ରେକର୍ଡ ହୋଇଛି। ସକାଳୁ ସୂର୍ଯ୍ୟଙ୍କ ତାପ ଖୁବ୍‌ ଅଧିକ ଥିଲା। ଭୁବନେଶ୍ବରରେ ଅପରାହ୍‌ଣ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଛୁଇଁ ଯାଇଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ଓ ରାଜଧାନୀରେ ଏଭଳି ତାତି ଜାରି ରହିବ।

ଓଡ଼ିଶା ଉପକୂଳ ନିକଟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ହେତୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ଯାଏ ଅଧିକ ରହିପାରେ। ମାର୍ଚ୍ଚ ପହିଲାରୁ ଅନେକ ସ୍ଥାନର ତାପମାତ୍ରା ଏକାବେଳକେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅପରପକ୍ଷେ ଆଜିଭଳି ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ିବ। ଗତ ରାତିରେ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ପଡ଼ିଥିଲା। ଦୃଶ୍ୟମାନ ଦୂରତା କଟକରେ ୧୫୦ ମିଟର, ଭୁବନେଶ୍ବରରେ ୧୦୦ ମିଟର ରହିଥିବା ବେଳେ ଢେଙ୍କାନାଳରେ ୫୦ ମିଟର ଓ କେନ୍ଦ୍ରାପଡ଼ାରେ ୯୦ ମିଟର ଥିଲା। ଆସନ୍ତାକାଲି ସକାଳୁ ଅନୁଗୁଳ, ଢେଙ୍କାନା‌ଳ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ‌ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିଭଳି କଟକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରପଡ଼ା‌ରେ ୨୬ ତାରିଖ ଦିନ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟର ଅବଶିଷ୍ଟ ଅଞ୍ଚଳ‌ରେ ଅଳ୍ପବହୁତ କୁହୁଡ଼ି ଦେଖାଯିବ।