Odia News Portal

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅବଶିଷ୍ଟ ଭାରତ ୩ ଉଇକେଟ ହରାଇ ୩୮୧ ରନ୍‌ ସଂଗ୍ରହ କରିଛି। ଯଶସ୍ବୀ ଜୟସ୍ବାଲ ୨୧୩ ଓ ଅଭିମନ୍ୟୁ ଈଶ୍ୱରନ୍‌ ୧୫୪ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ଉଇକେଟରେ ଉଭୟ ଖେଳାଳି ୩୭୧ ରନ୍‌ ଯୋଡିଥିଲେ। ଟସ୍‌ ଜିତି ଅବଶିଷ୍ଟ ଭାରତ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳକୁ ଡାକରା ସୁଯୋଗ ଅପେକ୍ଷାରେ ରହିଥିବା ମୟଙ୍କ ମାତ୍ର ୨ ରନ୍‌ କରି ଆଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଅଭିମନ୍ୟୁ ଈଶ୍ୱରନ ଓ ଯଶସ୍ବୀ ଜୟସ୍ବାଲ ଦ୍ୱିତୀୟ ଉଇକେଟରେ ୩୭୧ ରନ୍‌ ଯୋଡିଥିଲେ। ଦ୍ୱିଶତକୀୟ ଇନିଂସରେ ଜୟସ୍ବାଲ ୨୫୯ ବଲ୍‌ ଖେଳି ୩୦ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଈଶ୍ୱରନ୍‌ ୨୪୦ ବଲ୍‌ ଖେଳି ୧୭ ଚୌକା ଓ ୨ ଛକା ମାରିଥିଲେ। ଉଭୟ ଖେଳାଳି ୪୯୧ ବଲର ସମ୍ମୁଖୀନ ହୋଇ ଏହି ଭାଗୀଦାରି କରିଥିଲେ। ମ୍ୟାଚ୍‌ର ୮୫ ତମ ଓଭରରେ ଲଗାତାର ବଲରେ ଉଭୟ ଖେଳାଳି ପ୍ୟାଭିଲିୟନ୍‌ ଫେରିଥିଲେ। ଓଭରର ଚତୁର୍ଥ ବଲରେ ଜୟସ୍ବାଲ ବୋଲ୍ଡ ହୋଇଥିବା ବେଳେ ପରବର୍ତ୍ତୀ ବଲରେ ରନ୍‌ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ ଈଶ୍ୱରନ୍‌। ଯଶସ୍ବୀ ଜୟସ୍ବାଲ ଅପେକ୍ଷାକୃତ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିବା ବେଳେ ଈଶ୍ୱରନ୍‌ ଆଙ୍କର ଭୂମିକା ନିଭାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ସୌରଭ କୁମାର (୦) ଓ ବାବା ଇନ୍ଦ୍ରଜିତ୍‌(୩) କ୍ରିଜରେ ଉପସ୍ଥିତ ରହିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ସଫଳ ବୋଲର ଭାବେ ଆଭେଶ ଖାନ୍‌ ଦୁଇଟି ଉଇକେଟ ନେଇଥିଲେ। ଅଧିନାୟକ ହିମାଂଶୁ ମନ୍ତ୍ରୀ ୭ ଜଣ ବୋଲରଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଏହାର ସୁଫଳ ମିଳିନଥିଲା।