Odia News Portal

ଦୂବରୁ ଦ୍ରୁମ ହେଲେ କେମିତି? କେବିଏନ୍‍ ଗୋଷ୍ଠିକୁ ଧରିବାକୁ ପୁଲିସ୍‍ ରାତି ଅନିଦ୍ରା

ଭୁବନେଶ୍ୱର : ତଥାକଥିତ ଗ୍ୟାଙ୍ଗଷ୍ଟାରଙ୍କ ମିଳିତ ମଞ୍ଚ କେବିଏନ୍‍ ଗ୍ରୁପ୍‍ ଏବେ କମିଶନରେଟ ପୁଲିସ୍‍ର ନିଦ ହଜାଇ ଦେଇଥିବାବେଳେ ଏମାନେ କିଭଳି ଦୂବ ରୁ ଦ୍ରୁମ ପାଲଟିଲେ ଓ କମିଶନରେଟ ପୁଲିସ୍‍ର ଦକ୍ଷ ବାବୁମାନେ ଏହାର ଟେର ପାଇଲେ ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଏହାକୁ ପୁଲିସ୍‍ର ଗୁଇନ୍ଦା ବିଫଳତା ବୋଲି କହୁଥିବାବେଳେ ଆଉ କେତେକ ରାଜଦାନୀରେ ଗାଦି ମାଡି ବସିଥିବା କିଛି ପୁଲିସ୍‍ ବାବୁଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ।
ରାତି ଅଧରେ ରାସ୍ତାରେ ଖଣ୍ଡା ବୁଲାଇବା, ଗୁଳି ଫୁଟାଇବା, ସେହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିବାର ରୋଚକ ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରେ କମିଶନରେଟ ପୁଲିସ୍‍ର ନିଦ ଭାଙ୍ଗିଛି । ଏବେ ନିଜ ଇଜ୍ଜତ ବଞ୍ଚାଇବାକୁ ଯାଇ ପୁଲିସ୍‍ ଅପରେସନ ଆଘାତ ଆରମ୍ଭକରି କାହା ଘର ଭାଙ୍ଗୁଛି ତ ଆଉ କାହାକୁ ବାନ୍ଧି ଗଣମାଧ୍ୟମକୁ ଖବର ଦେଉଛି । ପୁଲିସ୍‍ର ଆଉ ୩/୪ଟି ଟିମ୍‍ କାମ ଦାମ ଛାଡି ଏହି କେବିଏନ୍‍ ଗୋଷ୍ଠିକୁ ଧରିବାପାଇଁ ଲାଗି ପଡିଛନ୍ତି । ତେବେ ପୁଲିସ୍‍ର ପ୍ରଚାର ତତ୍ପରତାକୁ ଟପିଯାଇଛି ।
ହେଲେ ରାଜଧାନୀର ଛାତି ଉପରେ ଏତେଗୁଡିଏ ପିଲା ଦୀର୍ଘଦିନ ଧରି ଖଣ୍ଡା, କାତି ବୁଲାଇଲେ, ବନ୍ଧୁକରୁ ଗୁଳି ଫୁଟାଇଲେ, ନିଜକୁ ଗ୍ୟାଙ୍ଗଷ୍ଟାର ର ପରିଚୟ ଦେବାପାଇଁ ସେହି ଭିଡିଓକୁ ସୋସିଆଲ ମିଡିଆରେ ଛାଡିଲେ, ତାହା କିନ୍ତୁ କମିଶନରେଟ ପୁଲିସ୍‍ କିମ୍ବା ଏହାର ଗୁଇନ୍ଦା ବାବୁମାନେ ଜାଣିପାରିଲେ ନାହିଁ । ଯେଉଁ ଥାନା ଅଞ୍ଚଳରେ ଏହି କାଣ୍ଡ କାରକାନା ଚାଲିଥିଲା ସେହି ଥାନାର ବାବୁଙ୍କୁ ତୁରନ୍ତ ଏଥିପାଇଁ ଦାୟୀ କରାଯିବା ଆବଶ୍ୟକ । କାରଣ ନିଜ ନିଜ ଅଞ୍ଚଳରେ ଅପରାଧ ଓ ଅପରାଧିଙ୍କ ଖବର ରଖିବା ହେଉଛି ସମ୍ପୃକ୍ତ ଥାନା ବାବୁଙ୍କର । ତାଙ୍କ ଉପରେ ଏସିପି, ଡିସିପି ଆଦି ରହିଛନ୍ତି । ହେଲେ ଥାନାବାବୁମାନେ କ’ଣ କରୁଛନ୍ତି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜଧାନୀରେ ଦୀର୍ଘଦିନ ଧରି କିଛି ପୁଲିସ୍‍ ବାବୁ ଗାଦି ମାଡି ବସିବାର ଏହା ଅନ୍ୟତମ କାରଣ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । କ୍ଷମତା ଓ ଅର୍ଥ ପାଇଁ ଏହି ପୁଲିସ୍‍ ବାବୁମାନେ ଏତେ ମାତ୍ରାରେ ବ୍ୟସ୍ତ ଯେ ଚୋରି, ଡକାୟତି, ରାହାଜାନି ସମେତ ଗ୍ୟାଙ୍ଗଷ୍ଟାରଙ୍କ ଅଭୃଦୟ ଏମାନଙ୍କ ଆଖିକୁ ଦିଶୁନାହିଁ । ଏମାନଙ୍କ ପରୋକ୍ଷ ପ୍ରୋତ୍ସାହନରେ ହିଁ ଏହି କେବିଏନ୍‍ ଭଳି ଗୋଷ୍ଠି ମୁଣ୍ଡ ଟେକୁଛନ୍ତି । ଯେତେବେଳେ ଏମାନଙ୍କ ସାମାନ୍ୟ କନେଷ୍ଟବଳ ଟିଏ ଜବତ କରିଥାନ୍ତା ସେତେବେଳେ ଆଖି ବୁଜି ଦେଇ ଏବେ ପୁଲିସ୍‍ ଟିମ୍‍ ସେମାନଙ୍କ ପଛରେ ପଡିଛି ଓ କମିଶନରେଟ ପୁଲିସ୍‍ ବଦନାମର ବୋଝ ମୁଣ୍ଡାଇବାରେ ଲାଗିଛି ।
ରାଜଧାନୀରେ କାର୍ଯ୍ୟରତ ପୁଲିସ୍‍ ବାବୁମାନେ ସବୁଠାରୁ ଅଧିକ ଦକ୍ଷ ବୋଲି ସେମାନଙ୍କୁ ସରକାର ଏଠାରେ ଅବସ୍ଥାପିତ କରୁଛନ୍ତି । ଏମାନେବି ଲାଗିପାତି ରାଜଧାନୀ ଛାଡୁ ନାହାନ୍ତି । ହେଲେ କାହିଁକି ଏହି ପୁଲିସ୍‍ ବାବୁମାନଙ୍କ ଦକ୍ଷତା କେବିଏନ୍‍ ଭଳି କୁଜି ଗ୍ୟାଙ୍ଗଷ୍ଟାରଙ୍କ ଆଗରେ ଫିକା ପଡିଯାଉଛି ତାହା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।