Odia News Portal

୫ ଟଙ୍କା ପାଇଁ ନିର୍ଦ୍ଧୁମ ଛେଚିଲେ

କେନ୍ଦୁଝର: ମାତ୍ର ୫ ଟଙ୍କା ପାଇଁ ତୁମୁଳ କାଣ୍ଡ । ଟଙ୍କା ପାଇଁ ଭୁଲିଗଲେ ମାନବିକତା । ବାପା ପୁଅ ମିଶି ନିର୍ଦ୍ଧୁମ ଛେଚିଲେ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଲକ୍ଷ୍ମୀବଜାରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ପୋଡ଼ାଖମଣ ଗାଁର ଜିତେନ୍ଦ୍ର ଦେହୁରୀଙ୍କୁ ମାଡ଼ ମାରିଛନ୍ତି ମଧୁ ସାହୁ ଓ ତାଙ୍କ ପୁଅ । ତେବେ ମାଡ଼ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଥାଉକି, ଘସିପୁରା ଲକ୍ଷ୍ମୀବଜାରରେ ଥିବା ମା ହୋଟେଲକୁ ଶନିବାାର ଅପରାହ୍ଣ ୩ଟାବେଳେ ପୋଡ଼ାଖମଣ ଗ୍ରାମର ଜିତେନ୍ଦ୍ର ଦେହୁରୀ ଖାଇବାକୁ ଯାଇଥିଲେ। ଜିତେନ୍ଦ୍ର ଭାତ, ଡାଲି, ତରକାରି ଏବଂ ଖଟା ଖାଇଥିଲେ। ହୋଟେଲ ମାଲିକ ମଧୁ ସାହୁ ତାଙ୍କୁ ୪୫ଟଙ୍କା ମାଗିଥିଲେ। ଜିତେନ୍ଦ୍ର ୪୦ ଟଙ୍କା ଦେଇଥିଲେ। ବାକି ୫ ଟଙ୍କା ସନ୍ଧ୍ୟାରେ ଦେବେ ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମଧୁ ଓ ତାଙ୍କ ପୁଅ ଜିତେନ୍ଦ୍ରଙ୍କୁ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ପିଟିଥିଲେ। ତାଙ୍କ ସାର୍ଟ ଚିରିଦେବା ସହ ଗଡ଼େଇତଡ଼େଇ ପିଟିଥିଲେ। ବାପପୁଅ ମାଡ଼ ମାରୁଥିବାବେଳେ ପାଖରେ ଉପସ୍ଥିତ ଥିବା କିଛି ଲୋକ ନିରବଦ୍ରଷ୍ଟା ସାଜିଥିଲେ। ଛଡ଼ାଇବା ପାଇଁ କେହି ଆସି ନ ଥିଲେ।

ଏହି ସମୟର ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ଜିତେନ୍ଦ୍ର ଏ ନେଇ ସନ୍ଧ୍ୟାରେ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ଏସ୍ଆଇ ମାନସ ରଞ୍ଜନ ପଣ୍ଡା ଘଟଣାର ତଦନ୍ତ କରୁଛନ୍ତି। ସନ୍ଧ୍ୟାରେ ପୁଲିସ ହୋଟେଲ ମାଲିକଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏସ୍ଆଇ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ, ହୋଟେଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ଓ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି।