Odia News Portal

ବରମୁଣ୍ଡାରୁ ଖଣ୍ଡଗିରି ନୂଆ ସର୍ଭିସ୍‌ ରୋଡ୍‌

ହକି ବିଶ୍ବକପ୍‌ ପରେ ଭୁବନେଶ୍ବରରେ ଜି-୨୦ ସମ୍ମିଳନୀର ବୈଠକ ଆୟୋଜିତ ହେବାକୁ ଯାଉଛି। ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୨୦ଟି ଦେଶରୁ ପ୍ରତିନିଧିମାନେ ଭୁବନେଶ୍ବର ଆସିବେ। ସେଥିପାଇଁ ସହରକୁ ସୁନ୍ଦର କରିବାକୁ ପୁଣି ଥରେ ଯୋଜନା ହୋଇଛି। ବିଶେଷକରି ରସୁଲଗଡ଼ରୁ ଖଣ୍ଡଗିରି ଓ ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତାକୁ ନବୀକରଣ ସହ ସୌନ୍ଦର୍ଯ୍ୟୀକରଣ ଯୋଜନା ହୋଇଛି। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ସମେତ ଏନ୍‌ଏଚ୍‌ଏଆଇ, କମିସନରେଟ୍‌ ପୁଲିସ, ଟ୍ରାଫିକ୍‌, ବିଏମ୍‌ସି, ଓଏଫ୍‌ଡିସିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ଚଣ୍ଡୀଖୋଲ ପାର୍ଶ୍ବ ରାଜପଥକୁ ସୌନ୍ଦର୍ଯ୍ୟୀକରଣ ଯୋଜନା ଥିବା ବେଳେ ଏବେ ବରମୁଣ୍ଡା ପାର୍ଶ୍ବରେ ସୌନ୍ଦର୍ଯ୍ୟୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ବରମୁଣ୍ଡା କାଳୀ ମନ୍ଦିର ଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ବାମପାର୍ଶ୍ୱ ରାସ୍ତା ୫୦ମିଟର ପର୍ଯ୍ୟନ୍ତ ଏନ୍‌ଏଚ୍‌ଏଆଇ ଜବରଦଖଲମୁକ୍ତ କରିବ। ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତାରେ ପାର୍କିଂ ହେଉଥିବା ବସ୍‌ ସବୁକୁ ହଟାଯିବ। ସେଠାରେ ଏକ ସର୍ଭିସ ରୋଡ ନିର୍ମାଣ କରାଯିବ। ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବରମୁଣ୍ଡା ଅଞ୍ଚଳର ପ୍ରତ୍ୟେକ ରାସ୍ତାକୁ ପ୍ରଶସ୍ତ କରାଯିବ। ସେହିପରି ଜୟଦେବ ବିହାର ଛକରୁ ଫାୟାର ଷ୍ଟେସନ୍ ଛକ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱ ରାସ୍ତା ସୌନ୍ଦର୍ଯ୍ୟୀକରଣ କରାଯିବ। ସିଆରପି ଛକରେ ଥିବା ଜନଜାତି ମ୍ୟୁଜିୟମ୍ ଠାରୁ ଫାୟାର ଷ୍ଟେସନ୍ ପର୍ଯ୍ୟନ୍ତ ବାମପାର୍ଶ୍ୱରେ ଥିବା କାର୍ ସୋ’ରୁମ୍‌ର କାର୍‌ଗୁଡ଼ିକ ପାର୍କିଂ ହେଉଛି। ସେଗୁଡିକୁ ହଟାଯାଇ ସୌନ୍ଦର୍ଯ୍ୟୀକରଣ କରାଯିବ। ସତ୍‌ସଙ୍ଗ ବିହାର ନିକଟ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ସମ୍ମୁଖ ରାସ୍ତାରୁ ମଧ୍ୟ ଜବରଦଖଲ ହଟାଯିବ। ଫଳ ଦୋକାନୀଙ୍କ ସହ ମକା ବ୍ୟବସାୟ କରୁଥିବା ଦୋକାନୀଙ୍କୁ ହଟାଇ ସୌନ୍ଦର୍ଯ୍ୟୀକରଣ କରାଯିବ।

ଓଭରବ୍ରିଜ ତଳେ ଥିବା ଖାଲି ସ୍ଥାନକୁ ମଧ୍ୟ ସୁରକ୍ଷା ଦିଆଯିବ। ଦୋକାନ ଓ ଅନ୍ୟାନ୍ୟ ଜବରଦଖଲକାରୀଙ୍କୁ ହଟାଯାଇ ସୌନ୍ଦର୍ଯ୍ୟୀକରଣ କରାଯିବ। ଆଚାର୍ଯ୍ୟବିହାର ଛକରେ ସ୍ମାର୍ଟ ସିଟି ଏକ ଆକର୍ଷଣୀୟ ଟ୍ରାଫିକ୍‌ ପୋଷ୍ଟ ତିଆରି କରିବ। ଏହା ସହିତ ଲଳିତକଳା ଏକାଡେମି ପକ୍ଷରୁ ସ୍ଥାପତ୍ୟ ଚିତ୍ରକଳା ବିଭିନ୍ନ ଜାଗାରେ ଅଙ୍କାଯିବ। ଜାତୀୟ ରାଜପଥ କଡ଼ରେ ଥିବା ହାଇମାଷ୍ଟ ଲାଇଟ୍‌ଗୁଡିକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଣୀବିହାର ଛକରୁ ଜବରଦଖଲ ହଟାଇ ରାସ୍ତା କଡ଼ରେ ବସିବା ପାଇଁ ସିଟ୍‌ର ବ୍ୟବସ୍ଥା କରାଯିବ। ବିୟୁକେସି ଟିମ୍‌ ଏହି ସବୁ ଯୋଜନାର ନୀଳ ନକ୍ସା ପ୍ରସ୍ତୁତ କରିବା ପରେ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି