Odia News Portal

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ

ଆସନ୍ତା ୩୦ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟକୁ ଚୁଡାନ୍ତ କରିଛି ଛତିଶାନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶାନିଯୋଗ ସେବାୟତ ସଦସ୍ୟଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତି କାନ୍ତି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳିତ କରାଯିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ରଥଯାତ୍ରାରେ ଲକ୍ଷଲକ୍ଷ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନରେ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ କେବଳ ସିଂହଦ୍ଵାରରେ ପ୍ରବେଶ ଅନୁମତି ଥିବାରୁ ଭକ୍ତ ଓ ସହରବାସୀ କଲବଲ ହେଉଛନ୍ତି। ତେଣୁ ଭକ୍ତ ମାନଙ୍କୁ ଚାରି ଦ୍ଵାରରେ ପ୍ରବେଶ ପାଇଁ ଅନୁମତି ମିଳୁ ବୋଲି ବୈଠକରେ ଦାବି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଏନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଖୁବଶୀଘ୍ର ଭକ୍ତ ମାନଙ୍କୁ ଚାରି ଦ୍ଵାରରେ ପ୍ରବେଶ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ସେବାୟତ। ଆସନ୍ତା ସ୍ନାନପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ।