Odia News Portal

ବଡ଼ଭାଇକୁ ହତ୍ୟା କଲା ସାନଭାଇ

ଟିଟିଲାଗଡ଼: ଭାଇ ହାତରେ ଗଲା ଭାଇର ଜୀବନ। ମୃତ ବାପାଙ୍କ ସରକାରୀ ଅନୁକମ୍ପା ମୂଳକ ରାଶିକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦର ଘଞ୍ଚ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା। ମୃତକ ଜଣକ ହେଲେ ସଞ୍ଜୟ ବେହେରା।

ସୂଚନାମୂତାବକ, ଟିଟିଲାଗଡ଼ ସହର ହାଟପଦା ପଡ଼ାସ୍ଥିତ ଗୋରୁବଜାର ପଡ଼ାରେ ଘଟିଛି ଏହି ଘଟଣା। ସାନ ଭାଇ ପ୍ରମୋଦ ବେହେରା ନିଜ ବଡ଼ ଭାଇ ସଞ୍ଜୟ ବେହେରାକୁ ଅତି ନିର୍ମମଭାବେ ହତ୍ୟା କରିବା ପରେ ଝାରଦେବନ୍ଦର ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲା। ମୃତ ବାପାଙ୍କ ସରକାରୀ ଟଙ୍କାକୁ ନେଇ ସେ ଏଭଳି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି। ଗତ ୪ତାରିଖରୁ ସଞ୍ଜୟ ବେହେରା ନିଖୋଜ ଥିଲେ। ଟିଟିଲାଗଡ଼ ପୋଲିସ ଥାନାରେ ସଞ୍ଜୟଙ୍କ ଭିଣୋଇ ଏନେଇ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତଦନ୍ତ।

ତେବେ ଆଜି ପୋଲିସ ଗଳିତ ମୃତଦେହକୁ ଉଦ୍ଧାର କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ସାମଗ୍ରୀ ଜବତ କରିଛି। ଏହାସହ ଏହି ହତ୍ୟା ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ତାହାକୁ ନେଇ ତଦନ୍ତ କରୁଛି ପୋଲିସ୍।