Odia News Portal

ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ମନ୍ତ୍ରୀ କହିଲେ,ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି

ସ୍କୁଲ ରୂପାନ୍ତରିକରଣକୁ ନେଇ ଗୃହରେ ସରଗରମ ଆଲୋଚନା । ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ । ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ ଆଣିଛନ୍ତି ୫-ଟି ସ୍କୁଲ ଗୁଡିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦେଉଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲ ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲରେ ୯ ଜଣ ଶିକ୍ଷକ ନାହାନ୍ତି।

ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ବି ସମାନ ଅଭିଯୋଗ ଆଣିଥିଲେ ଯେ ସ୍କୁଲ ରେ ଶିକ୍ଷକ ଅଭାବ ରହିଛି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା ମଧ୍ୟ ଏପ୍ରସଙ୍ଗ ଉଠାଇଥିଲେ । ଗଣଶିକ୍ଷା ମନ୍ତ୍ରୀ କହିଥିଲେ ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ । ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।