Odia News Portal

ଏପ୍ରିଲ ପହିଲାରୁ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ରାଜ୍ୟରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ତା’ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ମାର୍ଗଦର୍ଶିକା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଛି SOP । ଏପ୍ରିଲ ପହିଲାରୁ ୭ ତାରିଖ ଅର୍ଥାତ ଏପ୍ରିଲ ପ୍ରଥମ ସପ୍ତାହରେ କଡ଼ାକଡ଼ି ଲାଗୁ ହେବ ମାର୍ଗଦର୍ଶିକା । ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହକୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫେଟାଲିଟି ଉଇକ ଭାବେ ପାଳନ କରାଯିବ।

ଟ୍ରାଫିକ ନିୟମ ଉଲଂଘନକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର । ବଡ଼ ଅଙ୍କର ଜରିମାନା ସହ ଜେଲଦଣ୍ଡ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୨୧ ତୁଳନାରେ ୨୦୨୨ରେ ଏହି ହାର ଶତକଡା ୭.୬୦% ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ମସିହାରେ ରାଜ୍ୟରେ ମୋଟ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣା ଘଟି ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୧୯୫ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । କଟକ ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩ଟି ଲେଖାଏଁ ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି । ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପୋଲିସ, ପରିବହନ, ଶିକ୍ଷା, ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।