Odia News Portal

କଟକ ବଡ ମେଡିକାଲରୁ ୧୫ ଲକ୍ଷ ଟଙ୍କାର ଭେଣ୍ଟିଲେଟର ଚୋରି

କଟକ ବଡ଼ ଡାକ୍ତରଖାନା କୋଭିଡ ଆଉଟଡୋରରୁ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ଭେଣ୍ଟିଲେଟର ମେସିନ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମରାମତି ବାହାନା କରି ଏକ ଆଉଟସୋର୍ସିଂ ସଂସ୍ଥାର ତିନି ଜଣ କର୍ମଚାରୀ ମିଳିତ ଭାବେ ଏହି ମେସିନକୁ ଚୋରି କରି ନେଇ ଡଷ୍ଟବିନରେ ରଖିବା ଓ ପରେ କେହି ନ ଥିବାର ସୁଯୋଗ ନେଇ ଏହାକୁ ଘରକୁ ନେଇଯିବା ଘଟଣାକୁ ନେଇ ଆଜି ଦିନ ତମାମ ମେଡିକାଲରେ ତନାଘନା ହୋଇଛି। ଅବଶ୍ୟ ପ୍ରବଳ ଚାପ ଓ ଏତଲା ଭୟରେ ଏହି ମୂଲ୍ୟବାନ ଭେଣ୍ଟିଲେଟର ମେସିନଟିକୁ ଚୋରାଇ ନେଇଥିବା କର୍ମଚାରୀ ପୁଣି ଆଣି ଫେରାଇ ଦେଇଛନ୍ତି। ଘଟଣା ପ୍ରମାଣିତ ହେବା ପରେ ଦାୟିତ୍ବ ନେଇଥିବା ଆଉଟସୋର୍ସିଂ ସଂସ୍ଥାର ମାଲିକ ଏଥିରେ ସଂପୃକ୍ତ ଥିବା ତିନି ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରି ଦେଇଛି। ଚୋରି ଅଭିଯୋଗ ଆସିଲେ କାହାରିକୁ ଛଡାଯିବ ନାହିଁ ବୋଲି ସଂସ୍ଥାର ମାଲିକ ମତ ରଖିଛନ୍ତି। କିନ୍ତୁ ଏଭଳି ଘଟଣା କୋଭିଡ ପାଇଁ କିଣାଯାଇଥିବା ଓ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁରେ ବ୍ୟବହାର ହେଉଥିବା ମୂଲ୍ୟବାନ ଭେଣ୍ଟିଲେଟର ଗୁଡିକର ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି କରିଛି। କୋଭିଡ ପାଇଁ କେତେ ଭେଣ୍ଟିଲେଟର କିଣା ଯାଇଥିଲା, କେଉଁ ବିଭାଗରେ ଏବେ କେତେ ମହଜୁଦ ଅଛି ତା’ର ଯାଞ୍ଚ ପାଇଁ ମତ ପ୍ରକାଶ ପାଇଛି।