Odia News Portal

ସ୍ୱାମୀ ସାଜିଲା ସଇତାନ

କେନ୍ଦ୍ରାପଡ଼ା: ହତ୍ୟାକାରୀ ସାଜିଲା ସୁରକ୍ଷାଦାତା । ସ୍ୱାମୀ ସାଜିଲା ସଇତାନ । ଚଳନ୍ତା ଟ୍ରେନରୁ ପତ୍ନୀଙ୍କୁ ଠେଲିଦେଲା ।.. . ଅନେକ ଆଶା ନେଇ ବର୍ଷେ ତଳେ ବିବାହ କରିଥିଲେ ରଶ୍ମିତା ମହାରଣା । କେନ୍ଦ୍ରାପଡା ରାଜନଗର ଥାନା ବଳରାମପୁର ଗାଁର ସୀତାକାନ୍ତ ବାଗଙ୍କ ଝିଅ ରଶ୍ମିତା ୨୦୨୦ ଜାନୁଆରୀରେ ଓକିଲପାଳର ରଂଜନ ମହାରାଣଙ୍କ ହାତ ଧରି ଧରିଥିଲେ । ଆରମ୍ଭରୁ ସବୁ କିଛି ଠିକ୍ ଠାକ୍ ଥିବାବେଳେ ଦାମ୍ପତ୍ୟ ଜୀବନରେ ଉଠିଥିଲା ଝଡ । ରଂଜନ ବେକାର ଥିବାବେଳେ ଦାରିଦ୍ରତା ପାଇଁ ଅନେକ ସମୟରେ କଳହ ଉପୁଜୁଥିଲା । ତେବେ ଚାକିରୀ କରିବା ପାଇଁ ବାଙ୍ଗଲୋର ଯାଇଥିଲେ ରଂଜନ । ସାଙ୍ଗରେ ପତ୍ନୀ ରଶ୍ମିତାଙ୍କୁ ବି ନେଇଥିଲେ । ହେଲେ ସେଠାରେ କମ୍ ଦରମା ମିଳିବାରୁ ପୁଣି ଆରମ୍ଭ ହୋଇଥିଲା କଳି ଝଗଡା ।

ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏଥର ସାବିତ୍ରୀ ପାଳିଥିଲେ ରଶ୍ମିତା । ହେଲେ ରଜ ପବକୁ ଗାଁକୁ ବୁଲାଇ ନେବାକୁ କହି ବାଙ୍ଗଲୋରରୁ ପତ୍ନୀଙ୍କୁ ଧରି ଟ୍ରେନରେ ଆସିଥିଲେ ରଂଜନ । କଳା କିଟ୍‌ମିଟ୍ ରାତିରେ ଟ୍ରେନ ବଗିରେ ସମସ୍ତେ ଶୋଇଯିବା ପରେ ରଶ୍ମିତାଙ୍କୁ ଟ୍ରେନ ଦୁଆର ପାଖକୁ ଡାକି ବାହାରକୁ ଠେଲି ଦେଇଥିଲେ । ଚଳନ୍ତା ଟ୍ରେନରେ ରଂଜନ ଏ ଜଘନ୍ୟ ହତ୍ୟା କରିଥିବା ବେଳେ ଲୋକଙ୍କ ହାତରେ ଧରା ପଡି ଶେଷରେ ଜେଲ୍ ଯାଇଛି । ତେବେ ରଶ୍ମିତାଙ୍କୁ ନିଯ୍ୟାତନା ଦେଇ ଆସୁଥିବା ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପରିବାର ଲୋକ । ସଇତାନ ସ୍ୱାମୀ ଏବେ ଜେଲ୍‌ର ଚାରି କାନ୍ଥ ଭିତରେ କିନ୍ତୁ ଏବେ ବି ପ୍ରଶ୍ନ ଉଠୁଛି ଯେଉଁ ସ୍ୱାମୀ ସାତ ଜନ୍ମକୁ ସୁରକ୍ଷା ଦେବାକୁ ମଥାରେ ସିନ୍ଦୁର ପିନ୍ଧାଇଥିଲା ଯେବେ ସେ ସଇତାନ ସାଜେ ତେବେ ଭରଷାର ଭଗବାନ କିଏ ହେବ ।