Odia News Portal

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସାଉଥର ସୁପରଷ୍ଟାର

ସାଉଥର ନାମିଦାମି ସୁପରଷ୍ଟାର ପବନ କଲ୍ୟାଣ, ଯାହାଙ୍କ ପାଇଁ ସାଉଥ୍ ତ ସାଉଥ୍ ଓଡିଆ ଫ୍ୟାନ୍ସମାନଙ୍କ ମଧ୍ୟରେ ବି ରହିଛି ଜବରଦସ୍ତ କ୍ରେଜ। ରୋମାନ୍ସ ଠାରୁ ଆରମ୍ଭ ଆକ୍ସନ ସବୁ ଫିଲ୍ମରେ ତାଙ୍କ ଅଭିନୟ ନିଆରା। କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ସହ ମଧ୍ୟ ତାଙ୍କର ରହିଛି ଘନିଷ୍ଠ ସମ୍ପର୍କ। କିନ୍ତୁ ଏତେ ସବୁ ସଫଳତା ପାଇବା ପରେ ବି ଏମିତି ଏକ ସମୟ ଥିଲା ଯେଉଁଠି ସେ ଆତ୍ମହତ୍ୟା କରିବାକୁ ଚାହିଁଥିଲେ। ଏନେଇ ନିକଟରେ ପବନ କଲ୍ୟାଣ ଖୋଦ୍ ଖୁଲାସା କରିଛନ୍ତି।
ମେଗାଷ୍ଟାର ଚିରଞ୍ଜିବୀଙ୍କ ସାନ ଭାଇ ପବନ କଲ୍ୟାଣ ନିକଟରେ ଏକ ଚାଟ୍ ଶୋ’ରେ ନିଜ ବ୍ୟକ୍ତିଗତ ଜୀବନର ଏକ ରାଜ୍ ଉପରୁ ପରଦା ଉଠାଇଛନ୍ତି। ତାଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଅତ୍ୟଧିକ ଅସୁସ୍ଥ ଥିଲେ। ସେ ଶ୍ୱାସ ଜନୀତ ସମସ୍ୟାରେ ପୀଡିତ ଥିଲେ। ଏହା ବ୍ୟତୀତ ତାଙ୍କ ଉପରେ ପାଠପଢ଼ାର ଚାପ ମଧ୍ୟ ଥିଲା। ଏହି ସମୟରେ ଭୁଲ୍ ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା। ନିଜ ଜୀବନରୁ ବିରକ୍ତି ହୋଇ ସେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେ ନିଜ ବଡ଼ ଭାଇ ଚିରଞ୍ଜିବୀଙ୍କ ବନ୍ଧୁକରୁ ନିଜକୁ ଗୁଳି ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କର ଏହି ପ୍ଲାନିଂ ଅଧୁରା ରହି ଯାଇଥିଲା। ସେ ଆତ୍ମହତ୍ୟା କରିପାରି ନଥିଲେ ବୋଲି ଚାଟ୍ ଶୋ ‘ଅନ୍‌ଷ୍ଟପେବୁଲ’ରେ କହିଛନ୍ତି।
ପବନ କଲ୍ୟାଣ ଗୁରୁତର ଆସ୍ଥାମାରେ ପୀଡିତ ଥିଲେ। ତେଣୁ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଥିଲା। ତାଙ୍କ ମନ ପାଠପଢ଼ାରେ ଲାଗୁନଥିଲା। ସେ ସର୍ବଦା ଶାନ୍ତ ରହୁଥିଲେ। ତେଣୁ ଏଥିରୁ ସେ ବିରକ୍ତି ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ସେ ଏହି ଅସମୟରୁ ବାହାରକୁ ଆସିଥିଲେ। ସେ ନିଜକୁ ସମ୍ଭାଳି ଥିଲେ ଓ ପୁଣି ତାଙ୍କ ନୂଆ ଜୀବନ ଆରମ୍ଭ କରିଥିଲେ ।