Odia News Portal

ରଥଯାତ୍ରା ଲାଗି ବିଶାଳ ରାଲି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବାରିପଦାରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ବିଶାଳ ରାଲି କରାଯାଇଛି । ଶହ ଶହ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଆଜି ଜଗନ୍ନାଥ ମନ୍ଦିରଠାରୁ ମାଉସୀମା ମନ୍ଦିର ଯାଏଁ ଶୋଭାଯାତ୍ରାରେ ବାହାରିଥିଲେ । ଶଙ୍ଖ, ଘଣ୍ଟ ଘଣ୍ଟା ବଜାଇ ଏହି ଶୋଭାଯାତ୍ରା ବାହାରିଥିଲା । ଆଜିର ଶୋଭାଯାତ୍ରାରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ମହାରାଜା ପ୍ରବିଣ ଚନ୍ଦ୍ର ଭଞ୍ଜଦେଓ, ସିନେ ତାରକା ଅସିତ ପତିଙ୍କ ସମେତ ବହୁ ରାଜନେତା, ବରିଷ୍ଠ ନାଗରିକ, ମନ୍ଦିର ସେବାୟତ ସଂଘର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସୂଚନା ଥାଉକି, ଚଳିତ ବର୍ଷ ପୁରୀକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ମଧ୍ୟ ରଥଯାତ୍ରାକୁ ଅନୁମତି ମିଳିନାହିଁ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଦୁଃଖ ପ୍ରକାଶ ପାଇଛି । ସେପଟେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବାରିପଦାରେ ରଥଯାତ୍ରାକୁ ପ୍ରଶାସନ ଅନୁମତି ଦେଉ ବୋଲି ସ୍ଥାନୀୟ ଲୋକେ ଦାବି ରଖିଛନ୍ତି । ବାରିପଦାରେ ୧୫୭୫ ମସିହାରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏଠାରେ ମହିଳାମାନେ ଦେବୀ ଶୁଭଦ୍ରାଙ୍କ ରଥକୁ ଟାଣି ଥାଆନ୍ତି। ମୟୂରଭଞ୍ଜ ଜିଲ୍ଲାର ଏହି ମହାନ ପରମ୍ପରାକୁ ବନ୍ଦ ନ କରିବାକୁ ଦାବି ହୋଇଛି।