Odia News Portal

ମହିଳା ସରପଞ୍ଚଙ୍କ ମୃତ୍ୟୁ

ପୁରୀ ଜିଲା ନିମାପଡ଼ା ଡେଲ୍‌ଟା ଛକରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ଦୀପା ବେହେରା(୩୨)। ଏନେଇ ତାଙ୍କ ପୁତୁରା ପ୍ରଶାନ୍ତ ବେହେରା ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ପରିବାର ଓ ସମ୍ପର୍କୀୟଙ୍କ ଦାବି ଅନୁଯାୟୀ ପୋଲିସ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବଦଳରେ ପୁରୀ ହସ୍ପିଟାଲକୁ ପଠାଇଛି। ପୋଲିସ ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ସରପଞ୍ଚ ଦୀପା ତାଙ୍କ ପରିବାର ସହ ନିମାପଡ଼ାର ଏକ ବିବାହ ଭୋଜିରେ ଯୋଗଦେଇଥିଲେ। ସେଠାରୁ ଦୀପାଙ୍କ ମା’ ଏବଂ ଭାଇ ଏକ ବାଇକ୍‌ରେ ଫେରୁଥିବାବେଳେ ସେ ଓ ତାଙ୍କ ପୁତୁରା ଅନ୍ୟ ଏକ ବାଇକ୍‌ (ଓଡି୦୨ଏଏକ୍ସ-୭୨୭୭) ଯୋଗେ ଘରକୁ ଫେରୁଥିଲେ। ଡେଲ୍‌ଟା ଛକରେ କୌଣସି କାରଣରୁ ଦୀପା ବାଇକ୍‌ରୁ ଖସିପଡ଼ିଥିଲେ। ଦ୍ରୁତଗତିରେ ସାମ୍‌ନାପଟୁ ଆସୁଥିବା ଏକ ହାଇୱା (ଓଡି୦୫ବିଏ-୦୫୦୧) ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ହାଇୱା ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ପରେ ସେଠାରେ ୧ ଘଣ୍ଟା ଧରି ଉତ୍ତେଜନା ଦେଖିଦେଇଥିଲା। ନିମାପଡ଼ାର ବିଭିନ୍ନ ଛକ ବଜାରର ମୁଖ୍ୟ ରାସ୍ତାରେ ଦୈନିକ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରାଯିବାକୁ ସ୍ଥାନୀୟ ଅଞ୍ଚଳବାସୀ ପୋଲିସ ନିକଟରେ ଦାବି କରିଛନ୍ତି। ନିମାପଡ଼ା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଖବର ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡା ଓ ସତ୍ୟବାଦୀ ବ୍ଲକର କେତେଜଣ ସରପଞ୍ଚ ସେଠାରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ନିମାପଡ଼ା ଆଇଆଇସି ଶଙ୍କର୍ଷଣ ଦଳେଇଙ୍କ ସହ ଆଲୋଚନା କରିଥିଲେ। ମୃତା ସରପଞ୍ଚଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ସ୍ତୁତିପ୍ରଜ୍ଞା ପ୍ରିୟଦର୍ଶିନୀ କହିଛନ୍ତି