Odia News Portal

ବିଶ୍ବ ହିନ୍ଦୀ ସମ୍ମିଳନୀରେ ଫିଜି ରାଷ୍ଟ୍ରପତିଙ୍କ ପ୍ରିୟ ହିନ୍ଦୀ ସିନେମା

ଗୁରୁବାର ଦିନ ଫିଜିର ରାଜଧାନୀ ସୁବାରେ ଆୟୋଜିତ ବିଶ୍ବ ହିନ୍ଦୀ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଫିଜିର ରାଷ୍ଟ୍ରପତି ୱିଲିଏମେ କାଟୋନୋଭିୟର୍‌ଙ୍କ ଉପରେ ହିନ୍ଦୀ ସିନେମାର ପ୍ରଭାବ ଏବଂ ତାଙ୍କର ପ୍ରିୟ ହିନ୍ଦୀ ଚଳଚ୍ଚିତ୍ର କଥା କହିଛନ୍ତି।

ଜୟଶଙ୍କର କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ହିନ୍ଦୀକୁ ବୈଶ୍ବିକ ଭାଷା କରିବା ଏବଂ ଏ ସମ୍ମିଳନୀ ହେଉଛି ଗୋଟାଏ ମଞ୍ଚ ଯେଉଁଠି ପ୍ରତ୍ୟେକ ହିନ୍ଦୀପ୍ରେମୀ ଅଂଶ ଗ୍ରହଣ କରିପାରିବେ। ମୋର ମନେହୁଏ, ଏ ସମ୍ମିଳନୀ ଦିନେ ହିନ୍ଦୀ ମହାକୁମ୍ଭ ହେବ ଓ ସମଗ୍ର ବିଶ୍ବରୁ ଲୋକେ ଏଥିରେ ଯୋଗ ଦେବେ ବୋଲି ସଭିଏଁ ଆଶାବାଦୀ। ହିନ୍ଦୀ କ୍ଷେତ୍ରରେ ଏହା ହେବ ବୈଶ୍ବିକ ନେଟ୍‌ୱାର୍କିଙ୍ଗ୍‌ ପ୍ଲାଟ୍‌ଫର୍ମ।

ହିନ୍ଦୀ ଚଳଚ୍ଚିତ୍ରର ପ୍ରଭାବ ଉପରେ ଫିଜିର ରାଷ୍ଟ୍ରପତିଙ୍କ ମନ୍ତବ୍ୟ ସ୍ମରଣ କରି ଜୟଶଙ୍କର କହିଲେ ଯେ, କାଟୋନୋଭିୟର୍‌ଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଖୁବ୍‌ ପ୍ରଭାବିତ କରିଛି ଏବଂ ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଦେଖିଥିବା କଥା ତାଙ୍କୁ (ଜୟଶଙ୍କର) କହିଛନ୍ତି।

ତାଙ୍କର ପ୍ରିୟ ହିନ୍ଦୀ ଚଳଚ୍ଚିତ୍ର କେଉଁଟି ‌ବୋଲି ପଚାରିବାରୁ ସେ କହିଲେ, ନିଃସନ୍ଦେହ , ‘ଶୋଲେ’। ‘ୟେ ଦୋସ୍ତି’ ଗୀତ ଏବେ ବି ତାଙ୍କର ମନେ ଥିବା କଥା ସେ କହିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଫିଜି ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଏଥର  ୭୫ ବର୍ଷ ହେଲା।